ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାଂସ୍କୃତିକ ସଂସଦର ବାର୍ଷିକ ସାରସ୍ୱତ ସମାରୋହ ଓ ସାଂସ୍କୃତିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। ସାଂସ୍କୃତିକ ସଂସଦର ସଭାପତି ତଥା ବିଭାଗୀୟ ଉପ-ଶାସନ ସଚିବ ସରୋଜ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ବିଭାଗର ସାଂସ୍କୃତିକ ଉତ୍ତରଣ ଓ ସଂସଦର ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। କର୍ମମୟ ଜୀବନର କ୍ଳାନ୍ତି ମଧ୍ୟରେ କଳା ଓ ସଂସ୍କୃତି ମଣିଷକୁ ମାନସିକ ଶାନ୍ତି ଓ ନୂତନ ଉର୍ଜା ପ୍ରଦାନ କରିଥାଏ ବୋଲି ଅତିଥି ମାନେ ମତାବ୍ୟକ୍ତ କରିଥିଲେ।
ଉତ୍ସବର ସବୁଠାରୁ ଆକର୍ଷଣୀୟ ଅଧ୍ୟାୟ ଥିଲା ବିଭାଗୀୟ କଳାକାରଙ୍କ ଦ୍ୱାରା ପ୍ରଯୋଜିତ ଭାବପୂର୍ଣ୍ଣ ନାଟକ ‘ଶେଷ ଠିକଣା’। ଏହା କେବଳ ଏକ ନାଟକ ନୁହେଁ, ବରଂ ମଣିଷ ଜୀବନର ସତ୍ୟାସତ୍ୟକୁ ନେଇ ଏକ ମର୍ମସ୍ପର୍ଶୀ ଆଲେଖ୍ୟ। ‘ଘର— ଯାହା ଇଟା-ବାଲିର କଂକ୍ରିଟ୍ ଗଠନ ନୁହେଁ, ବରଂ ସ୍ନେହ ଓ ଆତ୍ମୀୟତାର ଏକ ଅକ୍ଷୟ ଆଳୟ। ମାତ୍ର ଜୀବନର ଅପରାହ୍ନରେ ନିଜ ହାତଗଢ଼ା ସେଇ ଆପଣାର ଘରଟି କେମିତି ଅପରିଚିତ ହୋଇଯାଏ ଏବଂ ମଣିଷ ନିଜର ‘ସତ୍ୟ ଠିକଣା’ ଖୋଜିବାକୁ ବ୍ୟାକୁଳ ହୁଏ, ତାହା ଏହି ନାଟକରେ ଅତି ନିଖୁଣ ଭାବେ ରୂପାୟନ କରାଯାଇଛି। ବାର୍ଦ୍ଧକ୍ୟ ଓ ସମ୍ପର୍କର ଜଟିଳତାକୁ ନେଇ ପ୍ରସ୍ତୁତ ଏହି ନାଟକ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ନାଟକର ଶେଷରେ “କେଉଁଠି ମୋର ସତ୍ୟ, ଶେଷ ଠିକଣା?”— ଏହି ନିରବ ପ୍ରଶ୍ନ ପ୍ରତ୍ୟେକ ଦର୍ଶକଙ୍କୁ ଭାବପ୍ରବଣ କରିଦେଇଥିଲା।
ସୂଚନାଯୋଗ୍ୟ ଯେ, ୧୯୯୫ ମସିହାରୁ ପ୍ରତିଷ୍ଠିତ ଏହି ସାଂସ୍କୃତିକ ସଂସଦ କେବଳ କାର୍ଯ୍ୟକ୍ରମ ଆୟୋଜନରେ ସୀମିତ ନରହି, ଅସୁସ୍ଥ କର୍ମଚାରୀଙ୍କୁ ସହାୟତା ଏବଂ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମାଧ୍ୟମରେ ଏକ ପରିବାର ଭଳି କାର୍ଯ୍ୟ କରିଆସୁଛି। ଏହି ସମାରୋହରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।
