ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବର୍ଷ ୨୦୨୩ ଏବଂ ୨୦୨୪ ପାଇଁ ଯଥାକ୍ରମେ ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ବିଜେତା ମାନଙ୍କ ନାମ ଘୋଷଣା କରିଛନ୍ତି। ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଭାମାନଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।
୨୦୨୩ ପାଇଁ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ପାଇଁ ନମ୍ରତା ଦାସଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ। ୨୦୨୩ ପାଇଁ ମିଳିତ ଭାବେ “ପୁଷ୍କରା” ଓ “ମାଇଁ ସୁଇଟ୍ ହାଉସ ୱାଇଫ୍” ଏବଂ ୨୦୨୪ ପାଇଁ “ଆଶ୍ରମ”କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ୨୦୨୩ ପାଇଁ ହରିହର ମହାପାତ୍ର ଏବଂ ୨୦୨୪ ପାଇଁ ବାବୁସାନଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତା, ୨୦୨୩ ପାଇଁ ମିଳିତ ଭାବେ ନୈନା ଦାଶ ତିୱାରୀ ଓ ସୁପ୍ରିୟା ନାୟକ ଏବଂ ୨୦୨୪ ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ, ୨୦୨୩ ପାଇଁ ପିନାକୀ ସିଂ ଓ ଶିଶିର କୁମାର ସାହୁ ଏବଂ ୨୦୨୪ ପାଇଁ ଅଶୋକ ପତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ।
୨୦୨୩ ପାଇଁ ୩୧ଟି ବର୍ଗ ଏବଂ ୨୦୨୪ ପାଇଁ ୩୧ଟି ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।
ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିଶ୍ଚିତ ଭାବରେ ଓଡ଼ିଶାରେ ଓଡ଼ିଆ ଭାଷାରେ ଉନ୍ନତ, ମୂଲ୍ୟବୋଧ ଭିତ୍ତିକ, ସାମାଜିକ ପ୍ରାସଙ୍ଗିକତା ବିଷୟ ବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇବ। ଏଥିସହ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ଓ ସମୃଦ୍ଧିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବା ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ଦ୍ଦେଶକ ପ୍ରଣବ ଦାସଙ୍କ ଅଧ୍ୟକ୍ଷତାରେ ଏକ ଜୁରୀ କମିଟି ଗଠନ କରାଯାଇଥିଲା।
