ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର ପ୍ରତିଷ୍ଠା ନେଇ ଆଲୋଚନା

ଭୁବନେଶ୍ୱର: ରାଜ୍ୟର ସଡ଼କ ନେଟ୍‌ୱାର୍କ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଦୁର୍ଘଟଣାମୁକ୍ତ କରିବା ଦିଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି। ତେବେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଏକ୍ସପ୍ରେସ୍‌ ୱେ କିମ୍ବା ଜିଲ୍ଲା ମୁଖ୍ୟ ସଡ଼କରେ ଦୀର୍ଘ ଯାତ୍ରା କରୁଥିବା ଗାଡ଼ିଚାଳକ ତଥା ପର୍ଯ୍ୟଟକଙ୍କୁ ରାସ୍ତାକଡ଼ରେ ସର୍ବନିମ୍ନ ସୁବିଧା ପ୍ରଦାନ କରିବା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ରାସ୍ତାକଡ଼ରେ ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର (ସଡ଼କ ପାର୍ଶ୍ଵ ସୁବିଧା କେନ୍ଦ୍ର) ପ୍ରତିଷ୍ଠା ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଜାତୀୟ ରାଜପଥ, ଏକ୍ସପ୍ରେସ୍‌ ୱେ, ରାଜ୍ୟ ରାଜପଥ କିମ୍ବା ଜିଲ୍ଲା ମୁଖ୍ୟ ସଡ଼କର ପ୍ରତି ୫୦ କିଲୋମିଟର ଅନ୍ତରରେ ୱେ-ସାଇଡ୍‌ ଆମିନିଟିସ୍‌ ସେଣ୍ଟର ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ରାସ୍ତାରେ ଯାତ୍ରା କରୁଥିବା ଟ୍ରାକ ଚାଳକ, ବସ୍‌ଯାତ୍ରୀ କିମ୍ବା ଚାରିଚକିଆ ଯାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହି କେନ୍ଦ୍ରର ସୁବିଧା ନେଇପାରିବେ।

ଏହି କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ ସହିତ ଇଭି ଚାର୍ଜିଂ ସ୍ପେସ୍‌, ପେଟ୍ରୋଲ ପମ୍ପ, ଫୁଡ୍‌ କୋର୍ଟ, ବିଶ୍ରାମ ଗୃହ ଆଦି ସୁବିଧା ରହିବ। ଏଥି ଲାଗି ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଏବଂ ବିଭିନ୍ନ ସରକାରୀ ତୈଳ କମ୍ପାନୀ ସହ ଏକ ବୁଝାମଣା ସ୍ୱାକ୍ଷର ହେବାର ଯୋଜନା ରହିଛି। ରାଜ୍ୟ ସରକାର ଏଥି ଲାଗି ସ୍ଥାନ ଯୋଗାଇଦେବେ ଏବଂ ତୈଳ କମ୍ପାନୀଗୁଡ଼ିକ ଏହାର ରକ୍ଷଣାବେକ୍ଷଣ ଭାର ବହନ କରିବେ ବୋଲି ସୂଚନା ମିଳିଛି।

ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ପରିବହନ କମିଶନର ଅମିତାଭ ଠାକୁର, ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସମୀର ହୋତା, ଏନ୍‌ଏଚ୍‌ଆଇର ଆଞ୍ଚଳିକ ଅଧିକାରୀ ପ୍ରଦୀପ ଲାଲ, ମୁଖ୍ୟଯନ୍ତ୍ରୀ (ଏନ୍‌ଏଚ୍‌) ଇଂ ନାରାୟଣ ପଟେଲଙ୍କ ସମେତ ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଏଚ୍‌ପିସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *