ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୩ୟ ରାଜ୍ୟସ୍ତରୀୟ ମାନକୀକରଣ କମିଟି ବୈଠକ ଅନୁଷ୍ଠିତ

ମାନକୀକରଣକୁ ସୁଦୃଢ଼ କରିବାକୁ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମାନକୀକରଣ ଉପରେଓଡ଼ିଶା ରାଜ୍ୟସ୍ତରୀୟ କମିଟି (ଏସଏସସି)ର ୩ୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିବୈଠକରେ ଓଡ଼ିଶା ସରକାର ଏବଂ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ)ଙ୍କ ସମ୍ମିଳିତ ପ୍ରୟାସରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ମାନକୀକରଣ, ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ଉପଭୋକ୍ତା ସୁରକ୍ଷାକୁ ସୁଦୃଢ଼ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ପ୍ରମୁଖ ପଦକ୍ଷେପ ସଂପର୍କରେ ସମୀକ୍ଷା ଓ ଆଲୋଚନା କରାଯାଇଥିଲା

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନରତଥାଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ପୂର୍ତ୍ତ,ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ବାଣିଜ୍ୟ ଓ ପରିବହନ ବିଭାଗ  ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ୍ ରାମଚନ୍ଦ୍ର ଯାଧବଙ୍କ ସମେତ ଓଡ଼ିଶା ସରକାରଙ୍କ ଅନ୍ୟ ବିଭିନ୍ନ ବିଭାଗର ସଚିବ,  ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକମାନେ ଯୋଗଦେଇଥିଲେ।

ଭୁବନେଶ୍ୱରସ୍ଥିତ ବିଆଇଏସର ବରିଷ୍ଠ ନିର୍ଦ୍ଦେଶକ ଓମୁଖ୍ୟ ଏ.କେ. ପୁରୋହିତ ଓଡ଼ିଶାରେ ମାନକୀକରଣ ଓ ଗୁଣବତ୍ତାକୁ ସୁଦୃଢ଼ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ପ୍ରମୁଖ ପଦକ୍ଷେପ ଏବଂ ସହଯୋଗର ବିଭିନ୍ନ କ୍ଷେତ୍ର ସମ୍ପର୍କରେ ଏକ ଉପସ୍ଥାପନା କରିଥିଲେଏହାସହିତ କୋଲକାତାସ୍ଥିତ ବିଆଇଏସ ପରୀକ୍ଷାଗାରର ଏ. ଚାଟାର୍ଜୀ ରାଜ୍ୟ ସରକାରଙ୍କ ପରୀକ୍ଷାଗାର ଏବଂ କମନ୍ ଫ୍ୟାସିଲିଟି ସେଣ୍ଟର (ସିଏଫସି)ଗୁଡ଼ିକର ପରୀକ୍ଷଣ ସୁବିଧାର ସଂପ୍ରସାରଣ, ଉନ୍ନତିକରଣ ଓ ଆଧୁନିକୀକରଣ ପାଇଁ   ବିଆଇଏସ୍  ଲାବୋରେଟୋରୀ ଆସିଷ୍ଟାନ୍ସ ସ୍କିମ୍ ସମ୍ପର୍କରେ  ଆଲୋକପାତ କରିଥିଲେ

କମିଟି ପକ୍ଷରୁ ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ଓ୍ୱାଟକୋ, ବିଭିନ୍ନ ବିଦ୍ୟୁତ୍ ବିତରଣ କମ୍ପାନୀ, କୃଷି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶ୍ରମ, ନଗର ଉନ୍ନୟନ, ଜଳ ସମ୍ପଦ ଏବଂ ମହିଳା ଓ ଶିଶୁ ବିକାଶ ଭଳି ପ୍ରମୁଖ ବିଭାଗର ଅଧିକାରୀମାନଙ୍କ ପାଇଁ ବିଆଇଏସ୍ ର  ପରାମର୍ଶକ୍ରମେ ଭାରତୀୟ ମାନକ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ, ପୂର୍ତ୍ତ ବିଭାଗର ଇଞ୍ଜିନିୟର ଓ ଜୁନିୟର ଇଞ୍ଜିନିୟରମାନଙ୍କ ପାଇଁ ମାନକୀକରଣ ଉପରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସମାନ ପ୍ରକାରର କାର୍ଯ୍ୟକ୍ରମ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ପାଇଁ ମଧ୍ୟ ଆୟୋଜନ  କରାଯିବାକୁ ପରାମର୍ଶ ଦିଆଯାଇଛି। କମିଟି ମଧ୍ୟ  ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀ ଏବଂ ମଧୁସୁଦନ ଦାସ ଆଞ୍ଚଳିକ  ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକରେ ମାନକୀକରଣ ଏବଂ ଗୁଣବତ୍ତା ପରିବେଶକୁ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି।

ସରକାରୀ କ୍ରୟ ପ୍ରକ୍ରିୟାରେ ଗୁଣବତ୍ତାକୁ ପ୍ରାଥମିକତା ଦେଇ, ସମ୍ପୃକ୍ତ ବିଭାଗଗୁଡ଼ିକୁ ପ୍ରଯୁଜ୍ୟ ଭାରତୀୟ ମାନକ (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ)ଗୁଡ଼ିକୁ ସନ୍ଦର୍ଭ ଭାବେ ଗ୍ରହଣ କରିବା, ବିଆଇଏସ୍ ୱେବସାଇଟ୍‌ରୁ ଏହି ମାନକଗୁଡ଼ିକୁ ଡାଉନଲୋଡ୍ କରିବା ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ, ଭାରତୀୟ ମାନକ ଏବଂ ସମ୍ପର୍କିତ ସୂଚନାକୁ ସହଜ ଓ ନିରବିଚ୍ଛିନ୍ନ ଭାବରେ ଉପଲବ୍ଧ କରାଇବା ପାଇଁରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ପୋର୍ଟାଲଗୁଡ଼ିକୁ ବିଆଇଏସ୍ ୱେବସାଇଟ୍ ସହିତ ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (ଏପିଆଇ) ଆଧାରିତ ଏକୀକରଣ ସମନ୍ୱିତ କରିବା ସଂପର୍କିତ ଅନୁସନ୍ଧାନ କରିବାକୁ କମିଟି ପରାମର୍ଶ ଦେଇଛନ୍ତି ।ଉପଭୋକ୍ତା ସଶକ୍ତୀକରଣ ପାଇଁ ବିଆଇଏସ୍ କେୟାର ଆପ୍‌ର ବ୍ୟାପକ ପ୍ରଚାର ଓ ପ୍ରସାର କରିବାକୁ କମିଟି ମଧ୍ୟ  ନିର୍ଦ୍ଦେଶ ଦେଇଛନ୍ତି। ଏହି ଆପ୍‌ ମାଧ୍ୟମରେ ଏଚୟୁଆଇଡି (ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ) ଏବଂ  ଆଇଏସଆଇ ମାର୍କର ସତ୍ୟାପନ, ଭାରତୀୟ ମାନକ ସମ୍ପର୍କିତ ସୂଚନା ପ୍ରାପ୍ତି, ପରୀକ୍ଷଣ ପରୀକ୍ଷାଗାର ଚିହ୍ନଟ ଏବଂ ନିମ୍ନମାନର ଉତ୍ପାଦ ଓ ସେବା ବିରୋଧରେ ଅଭିଯୋଗ ଦାଖଲ କରିବାର ସୁବିଧା ଉପଲବ୍ଧ ରହିଛି।ଏଥିସହିତ, ଗହଣା ଦୋକାନଗୁଡ଼ିକରେ ବିଆଇଏସ୍ କେୟାର ଆପ୍‌ ସମ୍ପର୍କିତ ସୂଚନାକୁ ପ୍ରମୁଖ ସ୍ଥାନରେ  ପ୍ରଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ନିରାପଦ ଓ ବିଶ୍ୱସନୀୟ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ପାଇଁ, କମିଟି  ଓ୍ୱାଟକୋ ଏବଂ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ପକ୍ଷରୁ ପାଇପ୍‌ ଯୋଗେ ପାନୀୟ ଜଳ ପରିଚାଳନା ସମ୍ପର୍କିତ ବିଆଇଏସ୍ ମାନକ ଆଇଏସ୍ ୧୭୪୮୨: ୨୦୨୦ କୁ ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରି ଏହାର ପ୍ରମାଣପତ୍ର ହାସଲ ପାଇଁ ପଦକ୍ଷେପ ନିଆଯିବାକୁ ଆଲୋଚନା ହୋଇଛି।  ଲିଫ୍ଟ ସୁରକ୍ଷା ସମ୍ପର୍କରେ, ଭାରତୀୟ ମାନକଗୁଡ଼ିକର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଓଡ଼ିଶାରେ ଉପଯୁକ୍ତ ନିୟମ ଓ ନିୟମାବଳୀ ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ କମିଟି ଗୁରୁତ୍ୱାରୋପ କରିଛନ୍ତି। 

ବୈଠକରେ ଓଡ଼ିଶାରେ ଭାରତୀୟ ମାନକ ବ୍ୟୁରୋର ଏକ ଅତ୍ୟାଧୁନିକ କାର୍ଯ୍ୟାଳୟ ଓ ପରୀକ୍ଷାଗାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପରୀକ୍ଷାଗାର ପ୍ରତିଷ୍ଠା ପ୍ରକ୍ରିୟାକୁ ପ୍ରାଥମିକତା ଭିତ୍ତିରେ ଆଗେଇ ନେବା ସହିତ କାର୍ଯ୍ୟାଳୟ ଓ ପରୀକ୍ଷାଗାରକୁ ଏକ ସମନ୍ୱିତ ପରିସର (ଇଣ୍ଟିଗ୍ରେଟେଡ୍ କମ୍ପ୍ଲେକ୍ସ) ଭାବେ ବିକଶିତ କରିବାକୁ ବୈଠକରେ ଯୋଜନା କରାଯାଇଛି। ଓଡ଼ିଶାରେ ବୃହତ୍‌ ଇସ୍ପାତ ଓ ଆଲୁମିନିୟମ ଶିଳ୍ପ ଥିବାରୁ, ସୁନା, ରୂପା ସହିତ ଇସ୍ପାତ ଓ ଆଲୁମିନିୟମ ପରୀକ୍ଷଣ ପାଇଁ ଏପରି  ଅତ୍ୟାଧୁନିକ ପରୀକ୍ଷାଗାର ପ୍ରତିଷ୍ଠାକୁ ପ୍ରାଥମିକତା ଦେବା ପାଇଁ  ବିଆଇଏସକୁ ବିଶେଷ ଭାବେ ପରାମର୍ଶ ଦିଆଯାଇଛି।

କମିଟି ସ୍କୁଲ ଓ କଲେଜ୍ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକରେ ଷ୍ଟାଣ୍ଡାର୍ଡସ୍ କ୍ଲବ୍‌ଗୁଡ଼ିକୁ ସୁଦୃଢ଼ କରିବା ଏବଂ ଏହି କ୍ଲବ୍‌ଗୁଡ଼ିକରେ ବିଆଇଏସ୍ ସଚେତନତାମୂଳକ  ବିଭିନ୍ନ କାର୍ଯ୍ୟକଳାପ ଓ ଶିକ୍ଷଣୀୟ ପରିଦର୍ଶନ କୁ ଔପଚାରିକ ଭାବେ ସ୍ୱୀକୃତି ପ୍ରଦାନ କରିବାର ଆବଶ୍ୟକତା ଉପରେ କମିଟିର ପରାମର୍ଶକୁ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ  ଗୁରୁତ୍ୱାରୋପ କରିଛନ୍ତି।  କମିଟି ରାଜ୍ୟ ସରକାରଙ୍କ ପରୀକ୍ଷାଗାରଏବଂ କମନ୍ ଫ୍ୟାସିଲିଟି ସେଣ୍ଟର ଗୁଡ଼ିକରେ ପରୀକ୍ଷଣ ସୁବିଧାର ବିସ୍ତାର, ଉନ୍ନତିକରଣ ଓ ଆଧୁନିକୀକରଣ ପାଇଁ ବିଆଇଏସ୍ ଲାବୋରେଟୋରୀ ଆସିଷ୍ଟାନ୍ସ ସ୍କିମ୍ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।  କମିଟି ଏମଏସଏମଇଗୁଡ଼ିକୁ ବିଆଇଏସ୍ ପକ୍ଷରୁ ଦିଆଯାଉଥିବା ସହାୟତା ସମ୍ପର୍କରେ ଅବଗତ ହୋଇଥିଲେ। ଏମଏସଏମଇଗୁଡ଼ିକ ପାଇଁ ଶୁଳ୍କରେ ୮୦% ରିହାତି ପ୍ରଦାନ ସହିତ, ନିଜସ୍ୱ ଇନ୍ହାଉସ୍ ପରୀକ୍ଷଣ ସୁବିଧା ରଖିବାର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭାବେ କୋହଳ କରାଯାଇଥିବା ବିଷୟକୁ କମିଟିରେ ସୂଚନା ଦିଆଯ।ଇଥିଲା। 

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବୈଠକରେ  ମାନକୀକରଣର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଉତ୍ପାଦ ଓ ସେବାର ଗୁଣବତ୍ତା, ସୁରକ୍ଷା, ବିଶ୍ୱସନୀୟତା ଏବଂ ଦକ୍ଷତା ସୁନିଶ୍ଚିତ କରିବାରେ ମାନକୀକରଣ ଏକ ମୌଳିକ ଆଧାରବିଶେଷକରି ସରକାରୀ କ୍ରୟ, ଭିତ୍ତିଭୂମି ଏବଂ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଏହା ଏକ ସାଧାରଣ ମାନଦଣ୍ଡ ପ୍ରଦାନ କରିଥାଏ।ସେ ଭାରତୀୟ ମାନକ (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ) ଏବଂ ଏହାର ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ସରକାରୀ ଅଧିକାରୀ, ଶିଳ୍ପ ସଂସ୍ଥା, ସେବା ପ୍ରଦାନକାରୀ ଏବଂ ଉପଭୋକ୍ତାମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ, ଭାରତୀୟ ମାନକଗୁଡ଼ିକର ପ୍ରଭାବଶାଳୀ ଗ୍ରହଣ ଓ କାର୍ଯ୍ୟାନ୍ୱୟନ ପାଇଁ  ବିଆଇଏସ୍ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ଅଧିକ ସମନ୍ୱୟ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ବ୍ୟାପକ ଗୁଣବତ୍ତାସଚେତନ ପରିବେଶ  ଗଠନ କରିବା ପାଇଁ ମାନକୀକରଣ ସମ୍ପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗକାର୍ଯ୍ୟକଳାପକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ମଧ୍ୟ ମୁଖ୍ୟ ଶାସନ ସଚିବ ଜୋର ଦେଇଥିଲେ।

ଓଡ଼ିଶାରେ ବିଆଇଏସ୍ ର ପ୍ରତିଷ୍ଠାନଗତ ଓ ପରୀକ୍ଷଣ ଭିତ୍ତିଭୂମିର ଗୁରୁତ୍ୱ ଉପରେ ଆଲୋକପାତ କରି ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ, ଅତ୍ୟାଧୁନିକ ପରୀକ୍ଷଣ ସୁବିଧା ରାଜ୍ୟର ବିକାଶଶୀଳ ଶିଳ୍ପ, ଉତ୍ପାଦନ ଏବଂ ଭିତ୍ତିଭୂମି କ୍ଷେତ୍ରକୁ ଆବଶ୍ୟକ ସହାୟତା ପ୍ରଦାନ କରିବ। ଏହାଦ୍ୱାରା ଦ୍ରୁତ ପରୀକ୍ଷଣ, ପ୍ରମାଣପତ୍ର ପ୍ରଦାନ ଓ ଗୁଣବତ୍ତାକୁ ସୁନିଶ୍ଚିତ କରାଯାଇପାରିବା ସହିତ, ରାଜ୍ୟ ବାହାରର ପରୀକ୍ଷାଗାର ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ। ମାନକୀକରଣ ଓ ଗୁଣବତ୍ତା ସମ୍ପର୍କିତ ପ୍ରଗତିର ସମୀକ୍ଷା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ବିଚାରବିମର୍ଶ କରିବା ପାଇଁ ବର୍ଷକୁ ଅତି କମ୍‌ରେ ଦୁଇ ଥର ରାଜ୍ୟସ୍ତରୀୟ କମିଟି ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *