ବାତ୍ୟା ‘ଅକଭାନ’ (AKVAN) ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଦକ୍ଷିଣ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ’୧୭ ନଭେମ୍ବର ୨୦୨୬ ସକାଳ ୮:୩୦ ସୁଦ୍ଧା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୭୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହି ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏହା ୧୭ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଏକ ‘ଭୀଷଣ ବାତ୍ୟା’ (Severe Cyclonic Storm) ଏବଂ ୧୯ ନଭେମ୍ବର ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ଏହି ବାତ୍ୟା ୨୦ ନଭେମ୍ବର ମଧ୍ୟାହ୍ନ ସମୟରେ ନେଲୋର ଏବଂ ଟୁନି ମଧ୍ୟରେ ଆନ୍ଧ୍ରପ୍ରଦେଶ-ୟାନମ୍ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦-୧୩୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ|

୧୮-୧୯ ନଭେମ୍ବର ପାଇଁ ଗଞ୍ଜାମ, ଗଜପତି, ପୁରୀ ଏବଂ ଅନ୍ୟାନ୍ୟ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ  ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା)ପାଇଁ ଜାରି କରାଯାଇଛି।

ଅରେଞ୍ଜ ୱାର୍ଣ୍ଣିଂ (ପ୍ରବଳରୁ ଅତି ପ୍ରବଳ ବର୍ଷା):

୧୯-୨୦ ନଭେମ୍ବର: କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଏବଂ ପୁରୀ

୨୦-୨୧ ନଭେମ୍ବର: ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ।

୨୧-୨୨ ନଭେମ୍ବର: ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଏବଂ କୋରାପୁଟ           

ଗଞ୍ଜାମ ,ଗଜପତି,ପୁରୀ,କନ୍ଧମାଳ ,ରାୟଗଡା,କୋରାପୁଟ, ମାଲକାନଗିରି,ନବରଙ୍ଗପୁର ୮ଟି ଜିଲ୍ଲାରେ ସମୁଦାୟ ୮୭ଟି ସମ୍ବେଦନଶୀଳ ବ୍ଲକ୍ ଏବଂ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି। ପାଣିପାଗ ସ୍ଥିତି ଏବଂ ସ୍ଥାନୀୟ ବିପଦ ଆକଳନକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ୨,୦୪,୦୭୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧,୨୧,୫୯୭ ଜଣ, ଗଜପତିରେ ୨୫,୦୦୦, ପୁରୀରେ ୨୪,୦୭୬, କନ୍ଧମାଳରେ ୧୦,୨୪୦ ଏବଂ ମାଲକାନଗିରିରେ ୧୦,୦୦୦ ଜଣଙ୍କୁ ସ୍ଥାନାନ୍ତର ପାଇଁ ଆକଳନ କରାଯାଇଛି। ୧୭ ନଭେମ୍ବର ସୁଦ୍ଧା କନ୍ଧମାଳ ଜିଲ୍ଲାରେ ୨୬୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୮ଟି ଜିଲ୍ଲାରେ ସମୁଦାୟ ୩,୩୨୯ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି, ଯେଉଁଥିରୁ ୪ଟି କାର୍ଯ୍ୟକ୍ଷମ ହୋଇ ୨୭୬ ଜଣଙ୍କୁ ଆଶ୍ରୟ ଦିଆଯାଇଛି। ପ୍ରମୁଖ ଆଶ୍ରୟସ୍ଥଳୀ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ (୧,୧୩୯), ପୁରୀ (୫୪୯), ଗଜପତି (୫୧୮) ଏବଂ କୋରାପୁଟ (୫୧୩) ଅନ୍ତର୍ଭୁକ୍ତ। ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ପରିମଳ, ଆଲୋକ ବ୍ୟବସ୍ଥା, ଚିକିତ୍ସା ସୁବିଧା ଏବଂ ବ୍ୟାକଅପ୍ ବିଦ୍ୟୁତ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୮ଟି ଜିଲ୍ଲାରେ ସ୍ଥାନାନ୍ତର ପାଇଁ ୨,୫୭୩ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସ୍ଥାନାନ୍ତର ଏବଂ ଆଶ୍ରୟସ୍ଥଳୀ ପରିଚାଳନା ସମୟରେ ଗର୍ଭବତୀ ମହିଳା, ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ଉପକୂଳବର୍ତ୍ତୀ, ତଳିଆ, ବନ୍ୟା ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳର ବାସିନ୍ଦାଙ୍କୁ ପ୍ରାଥମିକତା ଦେବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ସମୁଦାୟ ୭୪ଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ (୬୦ଟି ଓଡ୍ରାଫ୍ ଏବଂ ୧୪ଟି ଏନଡିଆରଏଫ୍ ଟିମ୍) ପ୍ରସ୍ତୁତ ରଖାଯାଇଛି। ଏଥିମଧ୍ୟରୁ ୪୨ଟି ଓଡ୍ରାଫ୍ ଏବଂ ୧୧ଟି ଏନଡିଆରଏଫ୍ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ପାଇଁ ଯୋଜନା ହୋଇଥିବା ବେଳେ ୧୮ଟି ଓଡ୍ରାଫ୍ ଏବଂ ୩ଟି ଏନଡିଆରଏଫ୍ ଟିମ୍ ସଂରକ୍ଷିତ ରଖାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫ଟି ଟିମ୍ (୧୨ଟି ଓଡ୍ରାଫ୍ ଓ ୩ଟି ଏନଡିଆରଏଫ୍) ଏବଂ ଗଜପତିରେ ୭ଟି ଟିମ୍ (୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍) ମୁତୟନ କରାଯିବ। ଏହାବ୍ୟତୀତ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ, ବାଲେଶ୍ୱର ଏବଂ ଜଗତସିଂହପୁରରେ ମଧ୍ୟ ଟିମ୍ ମୁତୟନ ହେବେ। ଜରୁରୀକାଳୀନ ପ୍ରସ୍ତୁତି, ରିଲିଫ୍ କ୍ୟାମ୍ପ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF) ରୁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ଗଞ୍ଜାମକୁ ୫.୦୦ କୋଟି, ଗଜପତିକୁ ୧.୦୦ କୋଟି ଏବଂ ମାଲକାନଗିରିକୁ ୦.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୧୬ ନଭେମ୍ବରରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ଠାରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ‘ଶୂନ୍ୟ ଜୀବନହାନି’ କୁ ମୁଖ୍ୟ ଲକ୍ଷ୍ୟ ଭାବେ ରଖାଯାଇଛି।

ଜଳଭଣ୍ଡାର, ନଦୀ ଏବଂ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ ଜଳସମ୍ପଦ ବିଭାଗକୁ; ରାସ୍ତା ଓ ପୋଲ ସଫା ରଖିବା ପାଇଁ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ; ଏବଂ ଜରୁରୀକାଳୀନ କର୍ମଚାରୀ, ସାମଗ୍ରୀ ଓ ବ୍ୟାକଅପ୍ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ, ଶକ୍ତି, ଟେଲିକମ୍ ଏବଂ ଖାଦ୍ୟ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଚିହ୍ନଟ ହୋଇଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜିଲ୍ଲା ଏବଂ ବ୍ଲକ୍/ସହରାଞ୍ଚଳ ଭିତ୍ତିକ ସ୍ଥାନାନ୍ତର ଯୋଜନା ଦାଖଲ କରିବାକୁ କୁହାଯାଇଛି।

ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ଗୁଡ଼ିକୁ ୨୪ ଘଣ୍ଟା ସତର୍କ ରହିବା ସହ SEOC କୁ ନିୟମିତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଭୂସ୍ଖଳନ ପ୍ରବଣ ଗ୍ରାମ ଓ ରାସ୍ତାଗୁଡ଼ିକର ସାଟେଲାଇଟ୍ ଚିତ୍ର ଏବଂ ଜିଆଇଏସ୍ (GIS) ଆଧାରିତ ମାନଚିତ୍ର ତୁରନ୍ତ ପ୍ରସ୍ତୁତ କରିବାକୁ ଓରସାକ୍ (ORSAC) କୁ ଅନୁରୋଧ କରାଯାଇଛି।

ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଭଳି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ‘ସେଲ୍-ଅନ୍-ହ୍ୱିଲ୍ସ’(Cell-on-Wheels) ମୋବାଇଲ୍ ଟେଲିକମ୍ ୟୁନିଟ୍ ମୁତୟନ କରିବା, ବ୍ୟାକଅପ୍ ପାୱାର ରଖିବା ଏବଂ ୨୪ ଘଣ୍ଟିଆ ସେବା ତଦାରଖ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗକୁ କୁହାଯାଇଛି।

ଏଥିସହ ଗଞ୍ଜାମ ପାଇଁ ୧୦ଟି ଏବଂ ଗଜପତି ପାଇଁ ୭ଟି, ଏହିପରି ମୋଟ ୧୭ଟି ସାଟେଲାଇଟ୍ ଫୋନ୍ ତୁରନ୍ତ ଯୋଗାଇ ଦେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର ଏୟାର ଏନକ୍ଲେଭ୍ ସମେତ ଗୋପାଳପୁର ଓ ପାରାଦୀପ ୟୁନିଟକୁ ବିମାନ, ଜାହାଜ, ଉଦ୍ଧାରକାରୀ ବୋଟ୍ ଏବଂ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରଖିବା ସହ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରିବାକୁ କୁହାଯାଇଛି।

ସମ୍ବେଦନଶୀଳ ରେଳ ଧାରଣା, ପୋଲ ଓ ଷ୍ଟେସନଗୁଡ଼ିକର ଯାଞ୍ଚ, ଆବଶ୍ୟକ ସ୍ଥଳେ ଟ୍ରେନ୍ ଚଳାଚଳ ନିୟନ୍ତ୍ରଣ/ବାତିଲ୍ ଏବଂ ଯାତ୍ରୀ ସହାୟତା ପାଇଁ ରେଳବାଇ ସହ ସମନ୍ୱୟ ରଖିବାକୁ ରେଳ ସମନ୍ୱୟ ସେଲକୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୧୮ ନଭେମ୍ବର ସକାଳୁ ୨୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ୧୭ ନଭେମ୍ବର ୨୦୨୬ରେ ଏନଡିଏମଏ (NDMA) ଦ୍ୱାରା ଆୟୋଜିତ ସମୀକ୍ଷା ବୈଠକରେ ଓଡ଼ିଶାର ସ୍ୱତନ୍ତ୍ର ରିଲିଫ୍ କମିଶନର ଯୋଗଦେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭାଗୀୟ ସମନ୍ୱୟ ସମ୍ପର୍କରେ ଅବଗତ କରାଇଛନ୍ତି। ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ନିୟନ୍ତ୍ରଣ କକ୍ଷ ପରିଚାଳନା, ବିପଦ ମାନଚିତ୍ର, ସ୍ଥାନାନ୍ତର ମାର୍ଗ, ଆଶ୍ରୟସ୍ଥଳୀ ପ୍ରସ୍ତୁତି, ଉଦ୍ଧାର ଉପକରଣ ଏବଂ ଅତ୍ୟାବଶ୍ୟକ ସେବା ସମ୍ପର୍କିତ ‘ଜିଲ୍ଲା ବାତ୍ୟା ଓ ବନ୍ୟା ପ୍ରସ୍ତୁତି ଚେକଲିଷ୍ଟ୍’ଦାଖଲ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *