ଭୁବନେଶ୍ବର : ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ଆୟୋଜିତ “ସକ୍ଷମା”ର ଦ୍ୱିତୀୟ ବୈଠକ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟତଃ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗ ଦେଇଥିଲେ ଓ ସେମାନଙ୍କ ସହ ଭିନ୍ନକ୍ଷମମାନଙ୍କ ହିତପାଇଁ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା, ଯାଆଁଳା ସ୍ଥିତ କେନ୍ଦ୍ର ସରକାରଙ୍କ ବାକ୍ ଶକ୍ତି ଓ ଭାଷା ଜନିତ ଦୁର୍ବଳତା ପାଇଁ ଥିବା ଅନୁଷ୍ଠାନର ପ୍ରତିନିଧି, ଟାଟା ଷ୍ଟିଲର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ I ଆୟୁକ୍ତଙ୍କ କାର୍ଯ୍ୟାଳୟରେ ସ୍ୱରନ୍ତ୍ର କାର୍ଯ୍ୟରତ ଅଧିକାରୀ ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ତତ୍ପରେ ଆଯୁକ୍ତ ଏହି ମିଟିଂର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ I ରେଡିଓ ଉଡ୍ଡାନ୍ ର ପ୍ରତିଷ୍ଠାତା ଡକ୍ଟର ଦାନିସ୍ ମହାଜନ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ ଦେଇ ଦେଶ ବିଦେଶର ଭିନ୍ନକ୍ଷମ ସଂପର୍କିତ ବିଭିନ୍ନ ଘଟଣାବଳୀ ଉପସ୍ଥାପନ କରିଥିଲେ I ଉକ୍ତ ବୈଠକରେ ମୁଖ୍ୟତଃ ସାଙ୍କେତିକ ଭାଷାର ବହୁଳ ପ୍ରସାର ଓ ଶିକ୍ଷାଗତ ଯୋଗ୍ୟତା ହାସଲ ପରେ ସେମାନଙ୍କ ନିଯୁକ୍ତି, ପ୍ରତ୍ୟେକ ସରକାରୀ/ବେସରକାରୀ କାର୍ଯ୍ୟସ୍ଥଳୀକୁ ସୁଗମ ପ୍ରବେଶ, ଭିନ୍ନକ୍ଷମମାନଙ୍କର ସହଜ ଆବେଦନ ଶୁଣାଣୀ ପ୍ରକ୍ରିୟା, ସରକାରୀ ସ୍ତରରେ ପ୍ରତ୍ୟେକ ଓ୍ୱେବସାଇଟକୁ ଭିନ୍ନକ୍ଷମମାନଙ୍କ ଦ୍ୱାରା ବ୍ୟବହାର ଉପଯୋଗୀ କରିବା ଆଦି ବିଷୟ ଉପରେ ଆଲେଚନା ହୋଇଥିଲା I ଦୂରଦର୍ଶନରେ ସାଙ୍କେତିକ ଭାଷାରେ ସମ୍ବାଦ ପରିବେଷଣ ହେଉନଥିବା ଅଭିଯୋଗ ଉପରେ ଆଲୋଚନା କରାଯାଇଥିଲା I ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଦିଆଯିବାପାଇଁ ବ୍ୟବସ୍ଥା କରିବା ଉପରେ ଆଲୋଚନା ହୋଇଥିଲା I ଏହି ବୈଠକରେ ଆଲୋଚିତ ସମସ୍ତ ବିଷୟବସ୍ତୁକୁ ଧ୍ୟାନ ଦେବାପାଇଁ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରାଯାଇଥିଲା I
ଭିନ୍ନକ୍ଷମମାନଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ଉପରେ ଆଲୋଚନା
