ଦୁଇଟି କାର ସହ ୯୦ କିଲୋ ଗଞ୍ଜେଇ ଜବତ , ୪ ଗିରଫ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଦୁଇଟି କାର ସହ ୯୦ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ବିହାର ରାଜ୍ୟର ଚାରିଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟ୍ୟରେ ବିହାର କୁମାର କୁଣ୍ଡ ଥାନା ଅଧୀନରେ ଥିବା ୟାଦୁଆପଟ୍ଟୀ କାରୁୱାଇଲ ଗାଁର ଦୁଇଭାଇ ଅଜୟ କୁମାର ଓ କିଶୋର ଯାଦବ ଥିବା ଜଣାପଡିଛି । ଅନ୍ୟ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିହାର ରାଜ୍ୟ ପୂର୍ଣ୍ଣିଆ ଜିଲ୍ଲା ଜଙ୍କିନଗର ଥାନା ଅଧୀନରେ ଥିବା ନାଉଲାଖି ଗାଁର ଗୁଡ୍ଡୁ କୁମାର ଓ ଅନ୍ୟଜଣେ ଧାମାଧାଉ ଥାନା ପିରାନକର ଗାଁର ଭିକି କୁମାର ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ସମୟରେ ଦୁଇଟି କାରରେ ବାହାର ରାଜ୍ୟର କିଛି ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା । ସୂଚନାପାଇବା ପରେ ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ନେତୃତ୍ୱ ରେ ଫିରିଙ୍ଗିଆ ଥାନାରେ କାର୍ୟ୍ୟରତ ଏସଆଇ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱ ରେ ଏକ ଟିମ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଡିଣ୍ଡିରାଗାଁ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ନାକା କରି ଏହି ଦୁଇଟି କାରକୁ ଧରିବାରେ ସଫଳ ହୋଇଥିଲେ । ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରିବା ସହ ଏହି ଘଟଣାରେ ବିହାରରୁ ଆସି ଫିରିଙ୍ଗିଆରେ ଏମାନେ କେଉଁଠି ରହୁଥିଲେ ଓ ସ୍ଥାନୀୟ ଅଞ୍ଚଳରେ ଏମାନଙ୍କ ସହ କାହାର ସମ୍ପର୍କ ରହିଛି, ଏମାନଙ୍କୁ କିଏ ଗଞ୍ଜେଇ ଯୋଗାଉଥିଲା ସେଦିଗରେ ମଧ୍ୟ୍ୟ ତଦନ୍ତ ଜାରି ରହିଛି । ଉକ୍ତ ଅଭିଯୁକ୍ତମାନଙ୍କୁ ମଧ୍ୟ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସଦର ଏସ୍ଡ଼ିପିଓ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *