ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ସେ ତତ୍‌କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ। ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ନୀଳକଣ୍ଠ ସକି୍ରୟ ଯୋଗଦାନ କରିଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିବା ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ। ସେ ଥିଲେ ଏକାଧାରରେ ସଂଗ୍ରାମୀ, ସଂସ୍କାରକ, ଅଧ୍ୟାପକ, ଶିକ୍ଷାବିତ୍‌, ରାଜନେତା, ବାଗ୍ମୀ ଓ ସୁଲେଖକ। ଓଡ଼ିଶା ଇତିହାସରେ ତାଙ୍କର କୃତି ଓ କୀର୍ତ୍ତି ଚିର ଉଜ୍ଜ୍ୱଳ ରହିବ।

ପଣ୍ଡିତ ନୀଳକଣ୍ଠ ଦାସଙ୍କର ୧୪୨ତମ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ ବିଧାୟକ ପି୍ରୟଦର୍ଶିୀ ମିଶ୍ର, ପଣ୍ଡିତ ନୀଳକଣ୍ଡ ଦାସ ସ୍ମୃତି ସମିତି ଓ ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା। ଲୋକସମ୍ପର୍କ ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *