ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ପ୍ରମୁଖ ଅନୁଷ୍ଠାନ ଗୁଡିକର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଲୋଚନାରେ ନାଇଜର, ଆଇଏଲଏସ, ଆଇଆଇଟି,ଆଇଏମଏମଟି, ଆରଏମଆରସି ଭଳି ପ୍ରତିଷ୍ଠିତ ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଅନୁଷ୍ଠାନ ମୁଖ୍ୟମାନେ ନିଜ ନିଜ ଅନୁଷ୍ଠାନର ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ବିଷଦ ଆଲୋଚନା କରିବା ସହ ଆଗାମୀ ଦିନରେ ଥିବା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଉପରେ ମନ୍ତ୍ରୀ ଶ୍ରୀପାତ୍ରଙ୍କୁ ଅବଗତ କରାଇଥିଲେ।
ମନ୍ତ୍ରୀ ଶ୍ରୀ ପାତ୍ର ରାଜ୍ୟର ବିଜ୍ଞାନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନଗୁଡ଼ିକର ଅବଦାନକୁ ପ୍ରଶଂସା କରିବା ସହ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ରାଜ୍ୟର ସାମଗ୍ରିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଏବଂ ଏହି ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱିତ ଉଦ୍ୟମ ଓ ଘନିଷ୍ଠ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ବୃଦ୍ଧି ବ୍ୟବସ୍ଥାବଳୀକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ସହ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ ପ୍ରତିବଦ୍ଧତା ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅତିରିକ୍ତ ଶାସନ ସଚିବ ଚିତ୍ରା ଆରୁମୁଗମ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
