ଭୁବନେଶ୍ୱର: ଶ୍ରୀମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସୁଆର ନିଯୋଗର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ନିଯୋଗ ପକ୍ଷରୁ ଉପସ୍ଥାପିତ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ମତବିନିମୟ ହୋଇଥିଲା। ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆବଶ୍ୟକ କାଠ ଯୋଗାଣର ଏକ ସ୍ଥାୟୀ ବ୍ୟବସ୍ଥା କରିବା ଉପରେ ଆଲୋଚନାରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଜାଳେଣି କାଠର ଆବଶ୍ୟକତା ପୂରଣ ଓ ଭବିଷ୍ୟତରେ ଏହାର ଅଭାବ ଦୂର କରିବା ପାଇଁ ସରକାରୀ ଏବଂ ଶ୍ରୀମନ୍ଦିର ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ସେହିପରି ସ୍ଥାନୀୟ ଲୋକଙ୍କ ପାଇଁ ମହାପ୍ରସାଦର ସୁବିଧାଜନକ ଉପଲବ୍ଧତା, ମହାପ୍ରସାଦର ନିର୍ଦ୍ଧାରିତ ଦର ତାଲିକା ପ୍ରଦର୍ଶନ ଏବଂ ଆନନ୍ଦ ବଜାରକୁ ଅଧିକ ସୁବ୍ୟବସ୍ଥିତ କରିବା ନେଇ ମଧ୍ୟ ବିଚାରବିମର୍ଶ କରାଯାଇଥିଲା। ଶ୍ରୀମନ୍ଦିରର ପାରମ୍ପରିକ ବ୍ୟବସ୍ଥା ଓ ମହାପ୍ରସାଦର ମହିମା ଅକ୍ଷୁଣ୍ଣ ରଖି ଭକ୍ତମାନଙ୍କ ପାଇଁ ଆନନ୍ଦ ବଜାରକୁ ସୁବ୍ୟବସ୍ଥିତ ଓ ସୁବିଧାଜନକ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର, ସମ୍ପାଦକ ନାରାୟଣ ମହାସୁଆର ସମେତ ଦାମୋଦର ମହାସୁଆର, ବୈଦନାଥ ମହାସୁଆର, ବଳଭଦ୍ର ମହାପାତ୍ର ଓ ଚିନ୍ତାମଣି ସାହିନାୟକ ପ୍ରମୁଖ ଉପସ୍ଥିତ ଥିଲେI
