ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସଫଳତାର ସହିତ ଆୟୋଜନ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସକ ଓ ଟିମ୍, ପୁରୀ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମ୍ମିଳିତ ପ୍ରୟାସ ପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। ସେହିପରି ଗତ ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ନିୟନ୍ତ୍ରଣ ଓ ଏହାର ପରିଚାଳନା ପାଇଁ ଅହରାତ୍ର ପ୍ରଚେଷ୍ଟା କରିଥିବା ସଂପୃକ୍ତ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଥିଲେ। ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ରିଲିଫ୍, ପୁନରୁଦ୍ଧାର, ଜଳ ନିଷ୍କାସନ, ଘାଇମରାମତି, ଥଇଥାନ ଓ ସ୍ୱାସ୍ଥ୍ୟସେବା ଆଦିକୁ ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବାକୁ ସେ ସଂପୃକ୍ତ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଗତ ୧୫ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟ ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ମଧ୍ୟ ମୁଖ୍ୟ ସଚିବ ଆଲୋକପାତ କରିଥିଲେ।
ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ଗତ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ ସ୍ଥିତି ଉପସ୍ଥାପନ କରିଥିଲେ। ଗତ ବର୍ଷ ତୁଳନାରେ ଚଳିତବର୍ଷ ଏହି ସମୟ ମଧ୍ୟରେ ବିଭିନ୍ନ ଉତ୍ସରୁ ରାଜସ୍ୱ ଆଦାୟ ବୃଦ୍ଧି ଘଟିଥିବା ବୈଠକରୁ ଜଣାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ବ୍ୟୟ ଗତବର୍ଷ ତୁଳନାରେ ଏହି ସମୟ ସୁଦ୍ଧା ୨୦.୨ ପ୍ରତିଶତ ବୃଦ୍ଧି ପାଇଛି। ବିଭିନ୍ନ ବିଭାଗର ଖର୍ଚ୍ଚ ସ୍ଥିତି ସମୀକ୍ଷା କରି ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟକରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟ ସଚିବ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିକଶିତ ଓଡ଼ିଶା୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ବିକାଶ କ୍ରମରେ ବୈଠକରେ ଗଜପତିର ସାମଗ୍ରିକ ବିକାଶ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ୱାଲ ଜିଲ୍ଲା ପାଇଁ ପ୍ରସ୍ତୁତ କରାଯାଇଥିବା ୨୫ଟି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ବିସ୍ତୃତ ରୋଡ୍ ମ୍ୟାପ୍ ଉପସ୍ଥାପନ କରିଥିଲେ। ଗଜପତି ଜିଲ୍ଲାକୁ ପ୍ରକୃତି, ଐତିହ୍ୟ ଓ ଆଧ୍ୟାତ୍ମିକ ପର୍ଯ୍ୟଟନର ଏକ ପ୍ରମୁଖ ଗନ୍ତବ୍ୟସ୍ଥଳୀରେ ବିକଶିତ କରିବାକୁ ସେ ବିଭିନ୍ନ ପ୍ରାଥମିକତା ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଜିଲ୍ଲାରେ ବହୁ ସଂଖ୍ୟକ ଜଳପ୍ରପାତ ଥିବାରୁ ସେସବୁ ଅଂଚଳର ସମନ୍ୱିତ ବିକାଶ କରି ପର୍ଯ୍ୟଟନ ସର୍କିଟ୍ ଭାବେ ବିକଶିତ କରିବା, ଜିରାଙ୍ଗ ବୌଦ୍ଧପୀଠର ବିକାଶ, ମହେନ୍ଦ୍ରଗିରି ଇକୋଟୁରିଜିମ୍ ଏବଂ ଇକୋ–ଆଡ୍ଭେନ୍ଚର ଫେଷ୍ଟ, ପାରଳାଖେମୁଣ୍ଡିସ୍ଥିତ ‘ବୃନ୍ଦାବନ ରାଜପ୍ରାସାଦ’ ଏୗତିହ୍ୟ ପର୍ଯ୍ୟଟନ, ରାମସାଗର ‘ଓ୍ୱାଟର ଫ୍ରଣ୍ଟ’ର ବିକାଶକୁ ଜିଲ୍ଲାପାଳ ଗୁରୁତ୍ୱଦେଇ ଆଲୋଚନା କରିଥିଲେ। ଜିଲ୍ଲାରେ ବନ୍ଦର ଭିତ୍ତିକ ଶିଳ୍ପାୟନ, ପ୍ରତି ଗ୍ରାମ ପଞ୍ଚାୟତରେ ଅନ୍ତତଃ ଗୋଟିଏ ଲେଖାଏଁ ମାଇଲଖୁଣ୍ଟ ପ୍ରକଳ୍ପର ସ୍ଥାପନ କରିବା, ଶିକ୍ଷା, ଆକାଂକ୍ଷା ଏବଂ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ‘ଡ୍ରିମ୍ ଗୃହ’ ସବୁ ବିକଶିତ କରାଯାଇ ଶିକ୍ଷାର ବିକାଶ, ସବୁ ଗ୍ରାମ ପଞ୍ଚାୟତ କୋଠାରେ ସୌରଶକ୍ତି ବ୍ୟବସ୍ଥା କରିବାକୁ ସେ ଉପସ୍ଥାପନ କରିଥିଲେ।
ଜିଲ୍ଲାରେ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧିନ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଆସନ୍ତା ବର୍ଷ ୨୦୨୭ ମଇ ମାସରୁ ଡିସେମ୍ବର ସୁଦ୍ଧା ସରିବା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ। ଲୌହମୁକ୍ତ ନିରାପଦ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ନୂଆଗାଁ ବ୍ୟାରେଜ ପ୍ରକଳ୍ପର ବିକାଶ କରି ଜଳସେଚନ ସାମର୍ଥ୍ୟ ବୃଦ୍ଧି, ଛେଳିଗଡ଼ ଜଳସେଚନ ପ୍ରକଳ୍ପକୁ ଶୀଘ୍ର ସାରିବା, ଜାତୀୟ ରାଜପଥ–୩୨୬ ସଂପ୍ରସାରଣ ପ୍ରକଳ୍ପରେମୋହନା–କୋରାପୁଟ ଅର୍ଥନୈତିକ କରିଡରର ବିକାଶ, ପାରଳାଖେମୁଣ୍ଡି ବାଇପାସ ରୋଡ୍ ନିର୍ମାଣ, ନୂଆ ମହେନ୍ଦ୍ରତନୟା ସେତୁ ନିର୍ମାଣ, ଜିଲ୍ଲାରେ ଜନଜାତିଙ୍କ ବିକାଶ, ବିଭିନ୍ନ ଜୀବିକା ନିର୍ବାହ କାର୍ଯ୍ୟକ୍ରମ, ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରସ୍ତାବ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ।
ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଦକ୍ଷତା ବୃଦ୍ଧି ଓ ଉତ୍କୃଷ୍ଟ ପରୀକ୍ଷା ଫଳ ହାସଲ ଲକ୍ଷ୍ୟରେ ‘ପ୍ରୟାସ ସୁପର–୩୦’କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ଏହି ପଦକ୍ଷେପ ମାଧ୍ୟମରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଶିକ୍ଷାଦାନ, ନିୟମିତ ମାର୍ଗ ଦର୍ଶନ ଓ ପରୀକ୍ଷା ଭିତ୍ତିକ ପ୍ରସ୍ତୁତିର ସୁଯୋଗ ପ୍ରଦାନ କରାଯାଉଛି। ଏହାର ସକାରାତ୍ମକ ପରିଣାମ ସ୍ୱରୂପ ୨୦୨୫ ମସିହାର ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ ପରୀକ୍ଷା)ରେ ଜିଲ୍ଲାରେ ୯୯.୩୫ ପ୍ରତିଶତ ପାସ୍ହାର ହାସଲ ହୋଇଛି। ବର୍ତ୍ତମାନ ଶିକ୍ଷା ବର୍ଷରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀଙ୍କୁ ଅଧିକ ସୁଦୃଢ଼ ଶୈକ୍ଷିକ ସହାୟତା ପ୍ରଦାନ କରାଯାଉଛି, ଯାହା ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ଶିକ୍ଷା ଫଳ ହାସଲ ଦିଗରେ ଜିଲ୍ଲାର ଏକ ସଫଳ ପଦକ୍ଷେପ ଭାବେ ପରିଗଣିତ ହେଉଛି। ‘ଶିକ୍ଷା ପ୍ରଶାସନରେ ନବସୃଜନ ଓ ଉତ୍ତମ କାର୍ଯ୍ୟ ପଦ୍ଧତି ପାଇଁ ଗଜପତି ଜିଲ୍ଲା ନୂଆଦିଲ୍ଲୀସ୍ଥିତ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ସଂସ୍ଥାନ (ଏନଆଇଇପିଏ) ପକ୍ଷରୁ ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବାରୁ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନର ପ୍ରୟାସକୁ ପ୍ରଶଂସା କରାଯାଇଥିଲା। “ସଂକଳ୍ପ ଓ ସମର୍ପଣ” କାର୍ଯ୍ୟକ୍ରମରେ ଏସଏସ୍ଡି, ଆଶ୍ରମ ଓ ସେବାଶ୍ରମ ସ୍କୁଲଗୁଡ଼ିକୁ ରୂପାନ୍ତରଣ କରି ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଗୁଣାତ୍ମକ ବିକାଶ, ପିଏମଶ୍ରୀ ଏବଂ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଉନ୍ନତିକରଣ, ବ୍ଲକସ୍ତରୀୟ ମିନି ଷ୍ଟାଡିୟମ ନିର୍ମାଣ, ଗଜପତି ଜିଲ୍ଲାକୁ ମାତୃ ଓ ଶିଶୁ ମୃତ୍ୟୁହାର ମୁକ୍ତ ଜିଲ୍ଲା ଭାବେ ପରିଣତ କରିବା ଭଳି ଜିଲ୍ଲାର ରଣନୈତିକ ବିକାଶ ରୂପରେଖ ପ୍ରସ୍ତୁତି ସଂପର୍କରେଆଲୋକପାତ କରାଯାଇଥିଲା। ଗଜପତି ଜିଲ୍ଲାର ବିକାଶ ପାଇଁ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଆଲୋଚନାରେ ଅଂଶଗ୍ରହଣ କରି ପରାମର୍ଶ ଦେଇଥିବା ବେଳେ ସମ୍ମିଳିତ ପ୍ରୟାସରେ ଜିଲ୍ଲାର ରୋଡମ୍ୟାପକୁ ବାସ୍ତବ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ପରାମର୍ଶ ଦେଇଛନ୍ତି।
ଏଥିସହିତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଅଦ୍ୟାବଧି ନିଆଯାଇଥିବା ରାଜ୍ୟ ନିଷ୍ପତ୍ତିସମୂହ ଓ ସେସବରୁ ରୂପାୟନ ସ୍ଥିତି ସଂପର୍କରେ ଗୁରୁତ୍ୱୋରାପ କରି ସମସ୍ତ ବିଭାଗୀୟ ସଚିବମାନଙ୍କୁ ଅନୁମୋଦିତ ପ୍ରସ୍ତାବଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ, ନିୟମିତ ଫଲୋ–ଅପ୍ (ଅନୂସରଣ) ଓ ଅନୁପାଳନ କିରବାକୁ ନିର୍ଦ୍ଦେଶ ଦେଇଥିଲେ।
