କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର

ଭୁବନେଶ୍ୱର: ବିହାର ସରକାରଙ୍କ କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରେୟସୀ ସିଂହଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଭୁବନେଶ୍ୱରରେ ଅବସ୍ଥିତ କଳିଙ୍ଗ ଷ୍ଟାଡିୟମରେ  ଶେଷ ହୋଇଛି। ଗସ୍ତର ଶେଷ ଦିନରେ ସେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ। ଦୁଇ ରାଜ୍ୟ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ, ଖେଳାଳିଙ୍କ ଆଦାନପ୍ରଦାନ, କ୍ରୀଡ଼ା ବିଜ୍ଞାନର ବ୍ୟବହାର ଏବଂ ତୃଣମୂଳ ସ୍ତରରୁ ନୂଆ ପ୍ରତିଭା ଖୋଜିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଆଲୋଚନା ସମୟରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ତଥା-ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶାର ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ହାଇ-ପରଫରମାନ୍ସ ସେଣ୍ଟରଗୁଡ଼ିକର ପ୍ରଶଂସା କରି ଶ୍ରେୟସୀ ସିଂହ କହିଥିଲେ ଯେ, ବିହାରରେ ମଧ୍ୟ କ୍ରୀଡ଼ା ଭିତ୍ତିଭୂମିର ବ୍ୟାପକ ବିକାଶ କରାଯାଉଛି।

କ୍ରୀଡ଼ା ପ୍ରାଙ୍ଗଣଗୁଡ଼ିକର ସଠିକ୍ ବ୍ୟବହାର ଓ ପରିଚାଳନା ପାଇଁ ସେ ଓଡ଼ିଶା ଏବଂ ବିହାର ମଧ୍ୟରେ ବନ୍ଧୁତାପୂର୍ଣ୍ଣ ମ୍ୟାଚ୍ ଓ ଖେଳାଳି ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାସହ ବିହାରର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଭଲିବଲ୍, ବାସ୍କେଟବଲ୍, କ୍ରିକେଟ୍ ପ୍ରାକ୍ଟିସ୍ ପିଚ୍ ଏବଂ ଫୁଟବଲ୍ ଭଳି ୪ଟି ଖେଳ ପାଇଁ ଭିତ୍ତିଭୂମି ତିଆରି କରାଯାଉଥିବା ସେ ପ୍ରକାଶ କରିଥିଲେ।

ଓଡ଼ିଶାର କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ‘ସିଏମ୍ ଟ୍ରଫି’ (CM Trophy) ଭଳି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାରେ ତୃଣମୂଳ ସ୍ତରରୁ ନୂଆ ଖେଳାଳି ସୃଷ୍ଟି କରାଯାଉଛି। କ୍ରୀଡ଼ା ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଓଡ଼ିଶାର କାର୍ଯ୍ୟଶୈଳୀ ସମ୍ପର୍କରେ ବୁଝାଇ କହିଥିଲେ ଯେ, ଗ୍ରାମାଞ୍ଚଳର ଖେଳାଳି ସୃଷ୍ଟି କରିବା ପାଇଁ ବିଦ୍ୟାଳୟ, କ୍ରୀଡ଼ା ଅନୁଷ୍ଠାନ ଏବଂ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଜରୁରୀ ବୋଲି ଦୁଇ ମନ୍ତ୍ରୀ ସହମତି ପ୍ରକାଶ କରିଥିଲେ।

ଏହି ବୈଠକରେ କ୍ରୀଡ଼ା ବିଜ୍ଞାନ (Sports Science) ର ଗୁରୁତ୍ୱ ଉପରେ ଚର୍ଚ୍ଚା କରାଯାଇଥିଲା। କୋଚିଂ ଓ ତାଲିମ କ୍ଷେତ୍ରରେ ଥିବା ଆହ୍ୱାନଗୁଡ଼ିକୁ ଦୂର କରିବା ସହ ଖେଳାଳିଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ କ୍ରୀଡ଼ା ବିଜ୍ଞାନକୁ ପାଠ୍ୟକ୍ରମ ସହ ଯୋଡ଼ିବା ଉପରେ ଶ୍ରୀ ପୁନିଆ ଗୁରୁତ୍ୱ ଦେଇଥିଲେ। ସେହିପରି ଆଘାତରୁ ବଞ୍ଚିବା, ସଠିକ୍ ଆହାର ଓ ବିଶ୍ରାମ ବିଷୟରେ ଖେଳାଳିଙ୍କୁ ସଚେତନ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ସିଂହ କହିଥିଲେ।

କେନ୍ଦ୍ର ସରକାରଙ୍କ ‘ଖେଲୋ ଇଣ୍ଡିଆ’ କେନ୍ଦ୍ରଗୁଡ଼ିକର ସମ୍ପ୍ରସାରଣକୁ ସୂର୍ଯ୍ୟବଂଶୀ ସୂରଜ ପ୍ରଶଂସା କରିଥିଲେ। ଜାମ୍ମୁ-କାଶ୍ମୀରରେ ଅନୁଷ୍ଠିତ ‘ଚିନ୍ତନ ଶିବିର’ ତର୍ଜମା ଆଧାରରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ମଧ୍ୟ ଏଭଳି ଆଲୋଚନାଚକ୍ର ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏହାସହ ଜାତୀୟ ସ୍ତରର ପ୍ରତିଯୋଗିତା ପୂର୍ବରୁ ରାଜ୍ୟ ସ୍ତରୀୟ କ୍ରୀଡ଼ା ଆୟୋଜନ କଲେ ଖେଳାଳିଙ୍କ ଦକ୍ଷତା ବୃଦ୍ଧି ପାଇବ ବୋଲି ସେ କହିଥିଲେ।

ଆଲୋଚନା ଶେଷରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିହାର ପ୍ରତିନିଧି ଦଳକୁ ଓଡ଼ିଶାର ସଂସ୍କୃତି ଓ ପାରମ୍ପରିକ ଖାଦ୍ୟ ସମ୍ପର୍କରେ ଧାରଣା ଦେଇଥିଲେ। ଓଡ଼ିଶା ସରକାରଙ୍କ ଆତିଥେୟତା ପାଇଁ ଧନ୍ୟବାଦ ଜଣାଇ ଶ୍ରେୟସୀ ସିଂହ କହିଥିଲେ ଯେ, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ଭୁବନେଶ୍ୱରର ସବୁଜିମା ଓ ସ୍ୱଚ୍ଛତା ତାଙ୍କୁ ବହୁତ ଆନନ୍ଦିତ କରିଛି। ଓଡ଼ିଶାର କ୍ରୀଡ଼ା ମଡେଲ ସାରା ଦେଶ ପାଇଁ ଏକ ପ୍ରେରଣା ବୋଲି ସେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *