୧୫ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର : ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୭ଟି ବିଶ୍ୱ ବିଦ୍ୟାଳୟ ଓ ୮ଟି ସରକାରୀ ମହାବିଦ୍ୟାଳୟ ସର୍ବମୋଟ ୧୫ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଛି।

ଅନୁଷ୍ଠିତ ହୋଇଥିବା ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଭାସୀ ମାଧ୍ୟମରେ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ହେବା ପରେ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ପାଠ୍ୟକ୍ରମକୁ ଆରମ୍ଭ କରାଯାଇଛି। ପୂର୍ବରୁ ସ୍ନାତକ ପରେ ୨ ବର୍ଷ ଅର୍ଥାତ୍‌ ବି. ଏଡ଼ ଡିଗ୍ରୀ ହାସଲ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ୫ ବର୍ଷ ସମୟ ଲାଗୁଥିଲା। କିନ୍ତୁ ବର୍ତ୍ତମାନ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ପାଠ୍ୟକ୍ରମ ଲାଗୁ ହେବା ପରେ ଛାତ୍ରଛାତ୍ରୀମାନେ +୨ ପରେ ସିଧାସଳଖ ଏହି ପାଠ୍ୟକ୍ରମରେ ନାମ ଲେଖାଇ ନିଜର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମକୁ ୪ ବର୍ଷ ମଧ୍ୟରେ ସମାପ୍ତ କରିପାରିବେ। ଏନସିଇଟି ପ୍ରବେଶିକା ପରୀକ୍ଷା (ନ୍ୟାସନାଲ କମନ ଏଣ୍ଟ୍ରାନ୍ସ ଟେଷ୍ଟ) ମାଧ୍ୟମରେ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯାଇଛି। ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ପାଇଁ ଶୈକ୍ଷିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମର ପାଠ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମରେ ଛାତ୍ରଛାତ୍ରୀମାନେ ଦୁଇଟି ମେଜର ବିଷୟ ସହ ମାଇନର ବିଷୟ ବାଛି ପାରିବେ। ଏଥିସହ ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମର ପାଠ୍ୟକ୍ରମକୁ ମଲ୍ଟି ଡିସିପ୍ଲିନାରୀ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ଆମ ଛାତ୍ରଛାତ୍ରୀମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଆମ ଶୈକ୍ଷିକ ସମାଜର ନେତୃତ୍ୱ ନେବେ। ସମସ୍ତ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତର କାମନା କରୁଛି ବୋଲି, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ବୈଠକରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ପାଠ୍ୟକ୍ରମର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଆଡମିଶନ ନେଇଥିବା ଛାତ୍ରଛାତ୍ରୀମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ନିଜର ଅନୁଭୂତି ବାଣ୍ଟିବା ସହ ଉଚ୍ଚଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବୈଠକରେ ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ (ଆଭାସୀ ମାଧ୍ୟମରେ) ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଅତିରିକ୍ତ ଶାସନ ସଚିବ ପ୍ରତିଭା ସାହୁ, ଯୁଗ୍ମ ଶାସନ ସଚିବ ମୌସୁମୀ ନାୟକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *