ଭୁବନେଶ୍ୱର: ବନ୍ୟା ପରିସ୍ଥିତି ପରେ ରାଜ୍ୟରେ ଜଳ ବନ୍ଧ ସଂରଚନାର ସୁରକ୍ଷା ଓ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି। ବିଭାଗର ବରିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଥିବାବେଳେ, ଆବଶ୍ୟକ ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଯାଜପୁର ଜିଲ୍ଲାର କାଣି ଡାହାଣ ପାର୍ଶ୍ୱ ବନ୍ଧର ବ୍ରହ୍ମଚାରୀପାଟଣା ଏବଂ ବ୍ରାହ୍ମଣୀ ନଦୀର କିମିରିଆପାଲ ନିକଟରେ ହୋଇଥିବା ଅସ୍ଥାୟୀ ଘାଇର ମରାମତି କରିବା କାର୍ଯ୍ୟ ଆରମ୍ଭ ହୋଇଛି। ଆବଶ୍ୟକ ଯନ୍ତ୍ରପାତି, ସାମଗ୍ରୀ ଏବଂ ଜନଶକ୍ତି ନିୟୋଜିତ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ଦୟା, ରାଜୁଆ, ମକରା, ଭାର୍ଗବୀ, ମହାନଦୀ, କୁଶଭଦ୍ରା ଓ ଦେବୀ ନଦୀର ସମସ୍ତ ନଦୀବନ୍ଧକୁ ଦିନରାତି ନିରନ୍ତର ନିରୀକ୍ଷଣ କରାଯାଉଛି। ଚିହ୍ନଟ ହୋଇଥିବା ସମସ୍ତ ଗଳିଆକୁ ତୁରନ୍ତ ମରାମତି କରାଯାଇ ସମ୍ଭାବ୍ୟ ଘାଇ ସୃଷ୍ଟି ହେବାର ଆଶଙ୍କାକୁ ସଫଳତାର ସହ ଏଡ଼ାଇ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଦିଲ୍ଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ବନ୍ୟା ସେଲ୍ରେ ଅନ୍ୟ ବରିଷ୍ଠ ମୁଖ୍ୟ ଯନ୍ତ୍ରୀମାନଙ୍କ ସହ ପୁନଃ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବର୍ତ୍ତମାନର ବନ୍ୟା ପରିସ୍ଥିତି, ହୀରାକୁଦ ଜଳଭଣ୍ଡାରର ପରିଚାଳନା, ନଦୀଗୁଡ଼ିକର ଜଳପ୍ରବାହ, ତଳମୁଣ୍ଡ ଅଞ୍ଚଳର ସ୍ଥିତି ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ସମସ୍ତ ଇଞ୍ଜିନିୟରିଂ ଦଳକୁ ସତର୍କ ରହିବା, ୨୪×୭ ନଜରଦାରି ଜାରି ରଖିବା ଏବଂ ଯେକୌଣସି ସମ୍ଭାବ୍ୟ ଚ୍ୟାଲେଞ୍ଜର ତୁରନ୍ତ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଭାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖି ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛି।
ଏହା ସହ, ଖୋର୍ଦ୍ଧା ଜଳସେଚନ ଡିଭିଜନ୍ ଅଧୀନ ବନ୍ଧ ଏବଂ ଜଳସେଚନ ସଂରଚନାଗୁଡ଼ିକର ପରିଦର୍ଶନ କରିଥିଲେ। ତାଙ୍କ ସହ ସେଣ୍ଟ୍ରାଲ ସର୍କିଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ବନ୍ୟା ନୋଡାଲ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ସୁନ୍ଦରଗଡ଼ ଜଳସେଚନ ଡିଭିଜନ୍ ଅଧୀନ କୋପାସିଂଘା ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ (ISS)ର ମଧ୍ୟ ପରିଦର୍ଶନ କରାଯାଇଥିଲା।
ଜଳ ସମ୍ପଦ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପ୍ରମୁଖ ବନ୍ଧ, ଜଳଭଣ୍ଡାର, ନଦୀବନ୍ଧ ଓ ଜଳସେଚନ ସଂରଚନା ଉପରେ ନିରବଚ୍ଛିନ୍ନ ନଜରଦାରି ଜାରି ରହିଛି। ଯେଉଁଠାରେ କ୍ଷୟକ୍ଷତି ହୋଇଛି, ସେଠାରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ବନ୍ୟା ପରିସ୍ଥିତିର ସଫଳ ପରିଚାଳନା ସହିତ ଜନସୁରକ୍ଷା ଏବଂ ଜଳ ସଂରଚନାର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବିଭାଗ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିଛି।
